ଥାଞ୍ଜାବର, ତାମିଲନାଡୁର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଓ ସହର । ଏହା ସ୍ଥାନୀୟ ଭାଷାରେ ତାଞ୍ଜୋର ବୋଲି ମଧ୍ୟ ପରିଚିତ । ଭାରତର ପ୍ରମୁଖ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ତାଞ୍ଜୋର ଅନ୍ୟତମ । ଦକ୍ଷିଣ-ପଶ୍ଚିମ ଚେନ୍ନାଇରୁ ଏହାର ଦୂରତା ୩୧୪ କି.ମି ହେଇଥିବା ବେଳେ ତିରୁଚିରାପଲ୍ଲୀଠାରୁ ଏହାର ଦୂରତା ମାତ୍ର ୫୬ କି.ମି । ଏହାର ନିକଟତମ ଆନ୍ତର୍ଜାତିକ ବିମାନ ବନ୍ଦର ହେଉଛି ତିରୁଚେରାପଲ୍ଲୀ । ଏହା ସମୁଦ୍ର ପତ୍ତନଠାରୁ ମାତ୍ର ୫୭ମିଟର ଉଚ୍ଚରେ ଅବସ୍ଥିତ ।
ଇତିହାସ
ଏହାର ନାମକରଣକୁ ନେଇ ଅନେକ କଥା ଶୁଣିବାକୁ ମିଳେ । କେହି କେହି କହନ୍ତି ହିନ୍ଦୁ ପୁରାଣରେ ଜଣେ ଦୈତ୍ୟ ବା ଦାନବ ଥିଲେ ତାଞ୍ଜନ । ପୁରାଣ ଯୁଗରେ ଏହି ଅଞ୍ଚଳ ତାଞ୍ଜନଙ୍କର ସାମ୍ରାଜ୍ୟ ଥିଲା । ତାଞ୍ଜନ ଥିଲେ ଜଣେ ଶିବ ଭକ୍ତ । ତାଙ୍କରି ନାମାନୁସାରେ ଏହି ଅଞ୍ଚଳର ନାମ ତାଞ୍ଜୋର ହୋଇଛି । ତେବେ ତାଞ୍ଜୋରକୁ ନେଇ ଇତିହାସ ଆଦୌ ସ୍ପଷ୍ଟ ନୁହେଁ । କେହି କେହି ଏହାକୁ ମଧ୍ୟ ଯୁଗୀୟ ଚୋଳ ସାମ୍ରାଜ୍ୟର ରାଜାମାନେ ଆବିଷ୍କାର କରିଥିବା କହୁଥିବା ବେଳେ ଆଉ କେହି କେହି ଏହାକୁ ବ୍ରିଟିଶମାନଙ୍କ ଅବଦାନ ବୋଲି କୁହନ୍ତି ।
ତେବେ ଐତିହାସିକଙ୍କ ତଥ୍ୟ ଅନୁସାରେ ଚୋଳଙ୍କ ପରେ ଏଠାରେ ପାଣ୍ଡ୍ଯ, ବିଜୟନଗରମ,ମଦୁରାଇ ଆଦିର ରାଜାମାନେ ଶାସନ କରିଥିବାର ପ୍ରମାଣ ମିଳେ । ପୁଣି ଭାରତକୁ ନିଜ ହାତକୁ ନେବାପରେ ବ୍ରିଟିଶମାନେ ଏଠାରେ ଅନେକ ଦିନ ଧରି ସେମାନଙ୍କର ଉପନିବେଶ ସ୍ଥାପନ କରିଥିବା ବିଷୟ ଜାଣିବାକୁ ମିଳେ । ୧୯୪୭ ମସିହା ଭାରତ ସ୍ୱାଧୀନ ହେବା ପରେ ଏହା ସ୍ୱାଧୀନ ଭାରତର ଅଂଶ ବିଶେଷରେ ପରିଣତ ହେଇଥିଲା । ଦକ୍ଷିଣ ଭାରତର ଧର୍ମ, କଳା ଏବଂ ସ୍ଥାପତ୍ୟର ଏହା ହେଉଛି ଏକ ପ୍ରମୁଖ ପୀଠ । ଜାତିସଂଘର ୟୁନେସ୍କୋଦ୍ୱାରା ଏହା ବିଶ୍ୱ ହେରିଟେଜ ମନୁମେଣ୍ଟରେ ସ୍ଥାନ ପାଇଛି । ଏଠାରେ ବୃହଦେଶ୍ୱର ମନ୍ଦିରକୁ ସର୍ବ ପୁରାତନ ମନ୍ଦିର ଭାବରେ ବିବେଚନା କରାଯାଏ ।
କୃଷି
କୃଷି କ୍ଷେତ୍ରରେ ଏହି ଅଞ୍ଚଳ ମଧ୍ୟ ପଛୁଆ ନୁହେଁ । ଏହା କାବେରୀ ନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ ହେଇଥିବାରୁ ଏହାର ମୃତ୍ତିକା,ପାଣିପାଗ ଓ ଜଳବାୟୁ ବେଶ କୃଷି ଉପଯୋଗୀ । ସମଗ୍ର ତାମିଲନାଡୁ ଏଠାକାର କୃଷି ଉପରେ ହିଁ ନିର୍ଭର କରିଥାଏ । ସେଥିଲାଗି ଏହି ଅଞ୍ଚଳକୁ ତାମିଲନାଡୁର ଭାତଥାଳି ବୋଲି କୁହାଯାଏ । ସାମଗ୍ରିକ ଭାବରେ କହିଲେ ତାଞ୍ଜୋର ହେଉଛି ଏକ ତ୍ରିକୋଣ ଭୂମି । କାବେରୀ ନଦୀର ତିନୋଟି ଉପନଦୀ ଯଥା: ପୁଧାର, ଭଦାବାରୁ ଏବଂ ବିନାରୁ ନଦୀର ମଧ୍ୟବର୍ତ୍ତୀ ସ୍ଥାନରେ ଏହା ଅବସ୍ଥିତ । ଏହି କାରଣରୁ ତାଞ୍ଜୋର ଅବାହମାନ କାଳରୁ ଏକ କୃଷିଭିତ୍ତିକ ଅଞ୍ଚଳ ଭାବରେ ସୁଖ୍ଯାତି ଅର୍ଜନ କରିଛି ।
ପର୍ଯ୍ୟଟନ
ଉଭୟ ସଂସ୍କୃତି ଓ ପର୍ଯ୍ୟଟନରେ ତାଞ୍ଜୋର ଧନାଢ୍ଯ । ତାମିଲନାଡୁର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେବା ସହିତ ଏହା ମଧ୍ଯ ସେଠାକାର ଅତି ପବିତ୍ର ଧର୍ମକ୍ଷେତ୍ର । ଭାରତ ସରକାରଙ୍କ ପକ୍ଷରୁ ଏହି ଅଞ୍ଚଳକୁ ସ୍ୱତନ୍ତ୍ର ଆଞ୍ଚଳିକ ସାସ୍କୃତିକ କେନ୍ଦ୍ର ଭାବରେ ଘୋଷଣା କରାଯାଇଛି । ଏଠାକାର ସବୁଠାରୁ ଅଧିକ ଲୋକପ୍ରିୟ ଧର୍ମସ୍ଥଳୀ ହେଉଛି ବୃହଦେଶ୍ୱର ମନ୍ଦିର । ଦକ୍ଷିଣ ଭାରତରେ ଏହି ମନ୍ଦିରକୁ ଅତି ପବିତ୍ର ବୋଲି ବିବେଚନା କରାଯାଏ । ସ୍ଥାପତ୍ଯ ଓ ଗଠନ ଶୈଳୀ ଦୃଷ୍ଟିରୁ ମଧ୍ଯ ଏହି ମନ୍ଦିର ଦେଶ ବିଦେଶରେ ବେଶ୍ ଲୋକପ୍ରିୟ । ଏହି ମନ୍ଦିର ନିର୍ମାଣ କାଳ ଏକାଦଶ ଶତାବ୍ଦୀ ଏବଂ ଏହାର ପ୍ରତିଷ୍ଠାତା ହେଉଛନ୍ତି ଚୋଳ ବଂଶର ସମ୍ରାଟ ପ୍ରଥମ ରାଜା ଚୋଳ । ଏହି ମନ୍ଦିର ଭଗବାନ ଶିବଙ୍କୁ ସମର୍ପିତ । ଏହି ମନ୍ଦିରର ଗାତ୍ରରେ ଚୋଳ ରାଜବଂଶର କିର୍ତ୍ତୀଗାରିମା ବିମଣ୍ଡିତ ହେଇଛି ।
ଏହା ବ୍ଯତିତ ଏଠାରେ ଅନେକ ଦର୍ଶନୀୟ ସ୍ଥାନ ଯଥା: ବିଜୟନଗର ଦୁର୍ଗ, ଶିବଗଙ୍ଗା ବଗିଚା, ବୃହଦେଶ୍ୱର ମନ୍ଦିର ଓ ଚନ୍ଦ୍ର ଭଗବାନ ମନ୍ଦିର ବେଶ୍ ଆକର୍ଷଣୀୟ ।
ପରିବହନ
ତାଞ୍ଜୋର ସହର କୋଏମ୍ବାଟୋର, ତିରୁପୁର,ତିରୁଚିରାପଲ୍ଲୀ, ମଦୁରାଇ, କାରାଇକାଲ, ପଟୁକୋଟି, ଏର୍ଣ୍ଣାକୁଲମ, ନଗରକୋଏଲ, ତିରୁପତି ନାଦି ବହୁ ଐତିହାସିକ ସହର ସହିତ ସଂଯୁକ୍ତ । ଏସବୁ ସ୍ଥାନରୁ ତାଞ୍ଜୋରକୁ ନିୟମିତ ବସ ଆଦି ଚଳାଚଳ କରିଥାଏ । ସେହି ଭଳି ରେଳପଥରେ ଏହା ଏକସଙ୍ଗରେ ତିରିଚିରାପଲ୍ଲୀ ଓ ଚେନ୍ନାଇ ସଂଯୋଗ କରିଛି । ଚେନ୍ନାଇ, ମହୀଶୂର, ଏର୍ଣ୍ଣାକୁଲମ,ଥ୍ରୀସୁର, କୋଏମ୍ବାଟୋର, ରାମେଶ୍ୱରମ,ଭୁବନେଶ୍ୱର,ବାରଣସୀ ଆଦି ସ୍ଥାନରୁ ପ୍ରତିଦିନ ଏହିବାଟ ଦେଇ ଏକ୍ସପ୍ରେସ ରେଳ ଚଳାଚଳ କରିଥାଏ । ନବେ ଦଶକର ଆରମ୍ଭ ବେଳକୁ ଏହା ଆକାଶପଥରେ ବହୁ ସ୍ଥାନ ସହିତ ସଂଯୁକ୍ତ ହୋଇସାରିଥିଲା ।
ବାହାର ତଥ୍ୟ
- Municipality of ThanjavurArchived 2013-06-17 at the Wayback Machine.
- "ଥାଞ୍ଜାବର". The New Student's Reference Work. Chicago: F. E. Compton and Co. 1914.
