ଗ୍ରାସନଳୀ କର୍କଟ (ଇଂରାଜୀରେ Esophageal cancer ବା oesophageal cancer) ଏକ ପ୍ରକାର କର୍କଟ ରୋଗ ଯାହା ତଣ୍ଟିରୁ ପାକସ୍ଥଳୀ ପର୍ଯ୍ୟନ୍ତ ଲମ୍ବିଥିବା ଗ୍ରାସନଳୀରେ (ଇଂରାଜୀରେ Oesophagus) ଜାତ ହୁଏ । ଡିସଫେଜିଆ (ଗିଳିବାରେ ଅସୁବିଧା) ଓ ଓଜନ ହ୍ରାସ ଏହି ରୋଗର ମୂଖ୍ୟ ଲକ୍ଷଣ । ଅନ୍ୟ ଲକ୍ଷଣ ମଧ୍ୟରେ ଓଡିନୋଫେଜିଆ (ଗିଳିଲାବେଳେ କଷ୍ଟ), କର୍କଶ ସ୍ୱର, କାନ୍ଧ ହାଡ଼ ବା କଲାର ବୋନ (ଇଂରାଜୀରେ clavicle) ପାଖରେ ଲସିକା ଗ୍ରନ୍ଥି ବୃଦ୍ଧି, ଶୁଖିଲା କାଶ, ରକ୍ତରେ କଫ ଓ ରକ୍ତବାନ୍ତି ହୁଏ ।
ବିକାଶଶୀଳ ଦେଶମାନଙ୍କରେ ଏସୋଫେଜିଆଲ ସ୍କ୍ୱାମସ୍ ସେଲ କାର୍ସିନୋମା (ଇଂରାଜୀରେ esophageal squamous-cell carcinoma, ସଂକ୍ଷେପରେ ESCC) ନାମକ ବେଶୀ ହେଉଥିବା ଓ ଏସୋଫେଜିଆଲ ଆଡେନୋକାର୍ସିନୋମା (ଇଂରାଜୀରେ esophageal adenocarcinoma ସଂକ୍ଷେପରେ EAC) ନାମକ ଦୁଇ ପ୍ରକାର ହିସ୍ଟୋପାଥୋଲୋଜିକାଲ କର୍କଟ ଦେଖାଯାଏ । ଏହାଠାରୁ ଅଳ୍ପ କେତେକ ଟାଇପର କର୍କଟ ମଧ୍ୟ ଦେଖାଯାଏ । ଗ୍ରାସନଳୀରେ ସ୍କ୍ୱାମସ ଏପିଥେଲିଆଲ ସେଲ ସ୍ତର ଥାଏ । ଗ୍ରାସନଳୀର ନିମ୍ନ ଏକ ତୃତୀୟାଂଶରେ ଥିବା ଗ୍ରନ୍ଥିରୁ ଆଡେନୋକାର୍ସିନୋମା ଜାତ ହୁଏ ଯେଉଁଠାରେ ସେଲ ବଦଳିଯାଇ ଅନ୍ତନଳୀ ସେଲ ଭଳି ହୋଇଯାଏ ଯାହାକୁ ବାରେଟ ଏସୋଫେଗସ କହନ୍ତି । ସ୍କ୍ୱାମସ୍ ସେଲ କାର୍ସିନୋମା ହେବାର କାରଣ ମଧ୍ୟରେ ଟୋବାକୋ ବା ଧୁଆଁପତ୍ର, ମଦ୍ୟ, ଗରମ ପାନୀୟ ଓ ଦରିଦ୍ର ଖାଦ୍ୟ ଗ୍ରହଣ ଉଲ୍ଲେଖଯୋଗ୍ୟ । ମୋଟାପଣ, ଧୁମ୍ରପାନ ଓ ଏସିଡ ପ୍ରତ୍ୟାବର୍ତ୍ତନ ଯୋଗୁ ଆଡେନୋକାର୍ସିନୋମା ହୁଏ ବୋଲି ମନେକରାଯାଉଛି ।
ଏଣ୍ଡୋସ୍କୋପ (ଏକ ଫାଇବ୍ରୋଅପଟିକ କ୍ୟାମେରା) ଯନ୍ତ୍ରଦ୍ୱାରା ବାୟୋପ୍ସି ନେଇ ପରୀକ୍ଷା କରି ଏହି ରୋଗ ନିଶ୍ଚିତ କରାଯାଏ । ଧୂମ୍ରପାନ ବନ୍ଦ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଗ୍ରହଣ କରି ଏହି ରୋଗକୁ ପ୍ରତିରୋଧ କରିହେବ । ରୋଗର ସ୍ଟେଜ, ଖାଦ୍ୟନଳୀର ସ୍ଥାନ, ରୋଗୀର ସ୍ୱାସ୍ଥ୍ୟ ଓ ପସନ୍ଦ ଅନୁସାରେ ଚିକିତ୍ସା କରାଯାଏ । ଛୋଟ ଓ ସ୍ଥାନୀୟ କର୍କଟ ହୋଇଥିଲେ ଅପରେଶନ କରି ରୋଗମୁକ୍ତ କରିବା ସମ୍ଭାବନା ଥାଏ । ଅଧିକାଂଶ କ୍ଷେତ୍ରରେ ଅପରେଶନ ସହିତ କେମୋଥେରାପି ସହ ବା ବ୍ୟତୀତ ରାଡିଏସନ ଦିଆଯାଏ । କେମୋଥେରାପି ଓ ରାଡିଏସନ ଥେରାପି ସାହାଯ୍ୟରେ ବଡ଼ କର୍କଟ ବୃଦ୍ଧିର ଗତି କମେଇ ଦିଆଯାଏ । ରୋଗ ଅଧିକ ମାଡ଼ିଯାଇଥିଲେ ବା ଅପରେଶନ ଅଯୋଗ୍ୟ ହୋଇଥିଲେ ପାଲିଏଟିଭ ଚିକିତ୍ସା କରାଯାଏ । ରୋଗ କେତେ ଦୂର ଆଗେଇଥିଲା ଓ କେଉଁ ଅନ୍ୟ ରୋଗ ଏହା ସହ ଥିଲା, ଏହାରି ଉପରେ ଚିକିତ୍ସା ଫଳାଫଳ ନିର୍ଭର କରେ କିନ୍ତୁ ଏହା ପ୍ରାୟ ଖରାପ ରହେ, କାରଣ ଡେରିରେ ରୋଗୀ ଡାକ୍ତରଖାନା ଆସନ୍ତି । ପାଞ୍ଚ ବର୍ଷ ବଞ୍ଚିବା ହାର ୧୩ରୁ ୧୮ % ।
ପୃଥିବୀରେ ଏହି ରୋଗ ୨୦୧୨ ମସିହା ସୁଦ୍ଧା ୮ମ କର୍କଟ ରୋଗ ମାନ୍ୟତା ପାଇଥିଲା ଓ ୪୫୬ ନୂଆ ରୋଗୀ ମିଳିଥିଲେ । ସେହି ବର୍ଷ ୪୦୦,୦୦୦ ମୃତ୍ୟୁ ହୋଇଥିଲା ଓ ଏହି ସଂଖ୍ୟା ୧୯୯୦ ମସିହାର ୩୪୫,୦୦୦ ମୃତ୍ୟୁ ଅପେକ୍ଷା ଅଧିକ ଥିଲା । ବିଭିନ୍ନ ଦେଶ ଅନୁସାରେ ଏହି ହାର ଫରକ ଆସେ, ଚୀନ ଦେଶରେ ପ୍ରାୟ ଅଧା ଥାଏ । ଏହି ରୋଗରେ ମହିଳାଙ୍କ ଅପେକ୍ଷା ପୁରୁଷ ସଂଖ୍ୟା ତିନି ଗୁଣ ।
