ଓଧ (ଇଂରାଜୀ ଭାଷାରେ Otter) ଏକ ମାଂସଭୋଜୀ ସ୍ତନ୍ୟପାୟୀ ପ୍ରାଣୀ ଓ ଲୁଟ୍ରିନାଏ ପରିବାରର ଅଂଶବିଶେଷ । ଜଳଚର, ଉଭୟଚର ଓ ସାମୁଦ୍ରିକ ସବୁ ପ୍ରକାରର ମିଶାଇଲେ ପ୍ରାୟ ୧୩ଟି ଉପପ୍ରଜାତିର ଓଧ ଦେଖିବାକୁ ମିଳନ୍ତି । ମାଛ ଓ ଅନ୍ୟ ଅମେରୁଦଣ୍ଡୀ ପ୍ରାଣୀ ଏମାନଙ୍କ ମୁଖ୍ୟ ଆହାର । ଲୁଟ୍ରିନାଏ ପ୍ରକୃତରେ ୱିଜେଲ୍ ମଷ୍ଟେଲିଡାଏ ପରିବାରର (ମିଂକ୍, ମାର୍ଟେନ୍, ଗାଡ଼ଭାଲୁ ପ୍ରଭୃତିଙ୍କ ପରିବାର) ଏକ ଶାଖା ।
ନାମକରଣ
ଓଧକୁ ବୁଝାଉଥିବା ଇଂରାଜୀ ଶବ୍ଦ otter ପୁରୁଣା ଇଂରାଜୀ ଶବ୍ଦ otor ବା oterରୁ ଉଦ୍ଧୃତ ହୋଇଥାଇପାରେ । ଅନ୍ୟ ଇଣ୍ଡୋ-ୟୁରୋପୀୟ ଭାଷାମାନଙ୍କର ମୂଳ ଭାଷାର ଶବ୍ଦ “ୱୋଡ୍ର” (*wódr̥) ଏହି ଇଂରାଜୀ ଶବ୍ଦର ଉତ୍ସ ହୋଇପାରେ । ଏହି ମୂଳ ଶବ୍ଦରୁ ପାଣିର ଇଂରାଜୀ ଶବ୍ଦ "ୱାଟର୍ (water)" ସୃଷ୍ଟ ଓ ଉଚ୍ଚାରଣ ଦୃଷ୍ଟିରୁ ସଂସ୍କୃତ ଶବ୍ଦ ଆର୍ଦ୍ର (ଓଦା) ମଧ୍ୟ ଏହାର ନିକଟତର ।
ଓଧକୁ ସଂସ୍କୃତରେ ଉଦ୍ବିଡ଼ାଳ ବୋଲି ମଧ୍ୟ କୁହାଯାଏ । ଓଡ଼ିଆ ଭାଷାରେ ଏହାର ଅନ୍ୟ ଏକ ନାମ ହେଲା ଜଳମାର୍ଜ୍ଜାର (ଅର୍ଥାତ୍ ପାଣିର ବିରାଡ଼ି) । ହିନ୍ଦୀରେ ଏହି ଜନ୍ତୁକୁ “ଊଦ୍ବିଲାୱ” ବା “ଊଦ୍” ବୋଲି କହିଥାନ୍ତି । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ଏହା ଏକ ବିରାଡ଼ି ଜାତୀୟ ଓ ଉଭୟଚର ଜନ୍ତୁ ଯିଏ ପାଣିରେ ବୁଡ଼ି ବଡ଼ ମାଛ ଧରେ ଏବଂ ତାହାକୁ ଖାଇଥାଏ ।
ସମ୍ପର୍କିତ ଇଂରାଜୀ ଶବ୍ଦାବଳୀ
ଓଧର ବସାକୁ ଇଂରାଜୀ ଭାଷାରେ holt ବା couch କୁହନ୍ତି । ଅଣ୍ଡିରା ଓଧକୁ dogs ବା boars, ମାଈ ଓଧଙ୍କୁ bitches ବା sows ଏବଂ ଶାବକମାନଙ୍କୁ pups ଭାବେ ଅଭିହିତ କରାଯାଏ । ଓଧମାନଙ୍କ ଦଳକୁ ଇଂରାଜୀରେ bevy, family, lodge, romp (କ୍ରୀଡ଼ାପ୍ରିୟ ପ୍ରକୃତିକୁ ଦର୍ଶାଇବା ପାଇଁ) ବା raft (ପାଣିରେ ଥିବା ସମୟରେ) ଏପରି ବିଭିନ୍ନ ଶବ୍ଦଦ୍ୱାରା ପ୍ରକାଶ କରାଯାଇଥାଏ ।
ଓଧମାନଙ୍କ ମଳକୁ ଇଂରାଜୀରେ spraint ବୋଲି କୁହାଯାଏ ଓ ଏହା ସଦ୍ୟ କଟାଯାଇଥିବା ଘାସ ପଡ଼ିଆ ବା ପଚା ମାଛ ପରି ଗନ୍ଧ ହୁଏ ବୋଲି କୁହାଯାଇଛି ।
ଜୀବନ ଚକ୍ର
ଓଧର ଗର୍ଭଧାରଣ ସମୟ ପ୍ରାୟ ୬୦ରୁ ୮୬ ଦିନ । ମାଈ ଓଧ, ଅଣ୍ଡିରା ଓଧ ଓ ସେମାନଙ୍କ ପରିବାରର ଅନ୍ୟ ଓଧ ଶାବକ ସମସ୍ତେ ମିଶି ନବଜାତ ଶାବକର ଯତ୍ନ ନେଇଥାନ୍ତି । ମାଈ ଓଧମାନେ ଜନ୍ମ ହେବାର ୨ ବର୍ଷ ପରେ ଓ ଅଣ୍ଡିରା ଓଧମାନେ ଜନ୍ମର ୩ ବର୍ଷ ପରେ ଯୌନ ପରିପକ୍ୱତା ଲାଭ କରିଥାନ୍ତି । ସ୍କଟଲ୍ୟାଣ୍ଡ୍ ଇତ୍ୟାଦି ସ୍ଥାନରେ ଗଛର ଚେର ତଳେ ବା ପଥୁରିଆ ଗାତରେ ଏମାନେ ନିଜର ବସା ବାନ୍ଧିବାର ଦେଖାଯାଏ । ବସାଟି ଘାସ ଓ ଶିଉଳି ଇତ୍ୟାଦିଦ୍ୱାରା ଆବୃତ୍ତ ହୋଇଥାଏ ।
ଜନ୍ମ ହେବାର ମାସେ ପରେ ଶାବକ ନିଜ ବସା ବାହାରକୁ ଯିବା ଆରମ୍ଭ କରେ ଓ ଦୁଇ ମାସ ବୟସରେ ପାଣିରେ ପହଁରିବା ଆରମ୍ଭ କରିଦେଇଥାଏ । ବର୍ଷେ ପର୍ଯ୍ୟନ୍ତ ଶାବକ ନିଜ ପରିବାର ସହିତ ରହିଥାଏ । ଓଧମାନେ ପ୍ରାୟ ୧୬ ବର୍ଷ ପର୍ଯ୍ୟନ୍ତ ବଞ୍ଚନ୍ତି । ସେମାନେ ପ୍ରକୃତିରେ ଖୁବ୍ ଚଳଚଞ୍ଚଳ ଓ ପରିବାର ମିଳିମିଶି ଜଳକ୍ରୀଡ଼ାରେ ମାତିଥାନ୍ତି । ଏମାନଙ୍କ ମୁଖ୍ୟ ଆହାର ହେଲା ମାଛ, ତୁଡ୍ଡି ବା ଈଲ୍ ମାଛ । ସମୟେ ସମୟେ ଏମାନେ ଛୋଟ ପକ୍ଷୀ ଓ ବେଙ୍ଗ ଖାଇବା ମଧ୍ୟ ଦେଖାଯାଇଛି ।
ପ୍ରକୃତି
ଓଧମାନଙ୍କ ଶରୀର ପତଳା, ଲମ୍ବା ଓ ଏମାନଙ୍କ ଗୋଡ଼ଗୁଡ଼ିକ ଶରୀରର ଅନୁପାତରେ ଅପେକ୍ଷାକୃତ ଛୋଟ । ତାଙ୍କ ଶରୀରର ବିଶେଷତା ହେଉଛି ଗୋଡ଼ର ଆଙ୍ଗୁଠିମାନଙ୍କ ମଧ୍ୟରେ ରହିଥିବା ପତଳା ପରଦା ଯାହା ଆହୁଲା ପରି କାମ କରେ ଓ ପହଁରିବା ବେଳେ ସହାୟକ ହୋଇଥାଏ । ଓଧମାନେ ସିଲ୍ମାନଙ୍କ ପରି ପାଣି ତଳେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରନ୍ତି । ଏମାନଙ୍କ ନଖ ଗୋଜିଆ । ସାମୁଦ୍ରିକ ଓଧ ବ୍ୟତୀତ ଅନ୍ୟ ପ୍ରଜାତିମାନଙ୍କର ମୋଟା ମାଂସାଳ ଲାଞ୍ଜଟିଏ ରହିଥାଏ । ସମସ୍ତ ୧୩ଟି ପ୍ରଜାତିର ଓଧଙ୍କୁ ମିଶାଇ କହିଲେ, ପରିପକ୍ୱ ବୟସରେ ଏମାନଙ୍କ ଶରୀରର ଦୈର୍ଘ୍ୟ ୦.୬-୧.୮ ମିଟର୍ (୨-୫.୯ ଫୁଟ୍) ଏବଂ ଓଜନ ୧-୪୫ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇଥାଏ । ଏସିଆରେ ଦେଖାଯାଉଥିବା ଛୋଟନଖିଆ ଓଧ ପ୍ରଜାତି ଆକାରରେ ସବୁଠାରୁ ଛୋଟ ହୋଇଥିବା ବେଳେ ବଡ଼ ଓଧ ଏବଂ ସାମୁଦ୍ରିକ ଓଧ ଆକାରରେ ସବୁଠାରୁ ବଡ଼ ପ୍ରଜାତି । ତାଙ୍କ ଲୋମର ନିମ୍ନାଂଶ ଅତି କୋମଳ ଓ ତାପ କୁପରିବାହୀ ଯାହା ଲମ୍ବା ଓ ସବଳ ଲୋମଦ୍ୱାରା ସୁରକ୍ଷିତ ଓ ଆବୃତ୍ତ ହୋଇ ରହିଥାଏ । ଲୋମର ସ୍ତରରେ ବାୟୁର ଏକ ଆସ୍ତରଣ ତିଆରି ହୋଇଥାଏ ଯାହା ତାଙ୍କ ଶରୀରର ତାପମାତ୍ରା ଓ ଶୁଷ୍କତା ବଜାୟ ରଖିବା ସହ ପାଣି ତଳେ ଉତ୍ପ୍ଳବନ ବଳ ପ୍ରୟୋଗ କରିବାରେ ଉପଯୋଗୀ ହୋଇଥାଏ ।
ଅନେକ ଓଧ ପ୍ରଜାତି ଥଣ୍ଡା ଜଳରେ ବାସ କରନ୍ତି, ତେଣୁ ଶରୀରର ତାପମାତ୍ରା ନିୟନ୍ତ୍ରଣ ପାଇଁ ସୋମାନେ ଶକ୍ତି ବା ଖାଦ୍ୟ ଅପଚୟ ହାର ଅଧିକ ହୋଇଥାଏ । ତେଣୁ ପରିବେଶର ତାପମାତ୍ରା ଅନୁଯାୟୀ ୟୁରୋପୀୟ ଓଧମାନଙ୍କୁ ପ୍ରତିଦିନ ନିଜ ଶରୀରର ଓଜନର ୧୫% ଓଜନର ଏବଂ ସାମୁଦ୍ରିକ ଓଧମାନଙ୍କୁ ୨୦-୨୫% ଓଜନର ଖାଦ୍ୟ ଖାଇବାକୁ ପଡ଼ିଥାଏ । ପାଣିର ତାପମାତ୍ରା ୧୦° ସେଲ୍ସିୟସ୍ ରହିଲେ ଏକ ଓଧକୁ ବଞ୍ଚି ରହିବା ପାଇଁ ପ୍ରତି ଘଣ୍ଟାରେ ୧୦୦ ଗ୍ରାମ୍ ଓଜନର ମାଛ ଶିକାର କରି ଖାଇବାକୁ ହୁଏ । ଅଧିକାଂଶ ଓଧ ପ୍ରଜାତି ପ୍ରତିଦିନ ୩-୫ ଘଣ୍ଟା ଏବଂ ଛୁଆ ପାଳୁଥିବା ମାଈ ଓଧମାନେ ଦିନକୁ ୮ ଘଣ୍ଟା ଶିକାର କରିଥାନ୍ତି ।
ପ୍ରାୟ ସମସ୍ତ ଓଧଙ୍କ ମୁଖ୍ୟ ଆହାର ହେଲା ମାଛ । ବେଳେବେଳେ ଏମାନେ ବେଙ୍ଗ, କଙ୍କଡ଼ା, ଚିଙ୍ଗୁଡ଼ି ମଧ୍ୟ ଖାଆନ୍ତି । କିଛି ଓଧ ଶାମୁକା ଖୋଲି ଖାଇବାରେ ଅତି ନିପୁଣ । ଅନ୍ୟ କ୍ଷୁଦ୍ର ସ୍ତନ୍ୟପାୟୀ ଓ ପକ୍ଷୀଙ୍କୁ ଏମାନେ ଖାଇବା ମଧ୍ୟ ଦେଖାଯାଇଛି । ଆହାର ଗ୍ରହଣର ହାର ଅତ୍ୟଧିକ ହୋଇଥିବାରୁ ଶିକାର କମିଗଲେ ଓଧମାନଙ୍କ ଜୀବନ ଧାରଣ କଷ୍ଟକର ହୋଇଉଠେ । ସାମୁଦ୍ରିକ ଓଧମାନେ କଠିନ ଖୋଳପା ଥିବା ଶାମୁକା ଇତ୍ୟାଦି ମଧ୍ୟ ଖାଆନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସାମୁଦ୍ରିକ ଓଧମାନେ ପଥରରେ ଶାମୁକାର ଖୋଳପା ଭାଙ୍ଗିବା ଜାଣନ୍ତି ଏବଂ କିଶୋରାବସ୍ଥାରେ ଓଧମାନଙ୍କୁ ଏହି କୌଶଳ ଶିଖିବାକୁ ପଡ଼ିଥାଏ ।
ଓଧମାନେ ଅତ୍ୟନ୍ତ ସକ୍ରିୟ ଶିକାରୀ । ନଦୀ, ହ୍ରଦ ଓ ସମୁଦ୍ରର ତଳ ଦରାଣ୍ଡି ଖୋଜିବା ଏବଂ ପାଣିରେ ଶିକାରକୁ ଗୋଡ଼ାଇ ଗୋଡ଼ାଇ ଧରିବା ଏମାନଙ୍କ ଶିକାର କରିବାର ପ୍ରଣାଳୀ । ଅଧିକାଂଶ ପ୍ରଜାତି ପାଣି ନିକଟରେ ରହନ୍ତି । ନଦୀ ଓଧମାନେ ପ୍ରାୟତଃ ଭୂମିରେ ରହି ନିଜ ଲୋମକୁ ଶୁଷ୍କ ରଖନ୍ତି ଓ କେବଳ ଶିକାର ବା ଗମନାଗମନ ପାଇଁ ପାଣି ଭିତରକୁ ପଶନ୍ତି । ସାମୁଦ୍ରିକ ଓଧମାନେ ଜୀବନର ଅଧିକାଂଶ ସମୟ ପାଣି ଭିତରେ ବିତାଇଥାନ୍ତି ।
ଓଧମାନେ କ୍ରୀଡ଼ାପ୍ରିୟ ଜୀବ ଏବଂ ଆମୋଦ ପ୍ରମୋଦ ପାଇଁ ନାନା ପ୍ରକାରର କ୍ରୀଡ଼ା କୌତୁକରେ ମଜ୍ଜି ରହିଥାନ୍ତି । ପାଣିରେ ଖସଡ଼ା ସ୍ଥାନରେ ଖସିବା, ପାଣିରେ ଥିବା ପଥର ସହିତ ଖେଳିବା ଇତ୍ୟାଦି କିଛି ଉଦାହରଣ । ତେବେ ପ୍ରଜାତି ଅନୁସାରେ ସେମାନଙ୍କ ସାମାଜିକ ବ୍ୟବହାରରେ ତଫାତ୍ ଦେଖାଯାଏ । କିଛି ଓଧ ସମ୍ପୂର୍ଣ୍ଣ ଏକାକୀ ରହିବା ପସନ୍ଦ କରୁଥିବା ବେଳେ ଅନ୍ୟ କିଛି ପ୍ରଜାତିର ଓଧ ଦଳରେ ବିଚରଣ କରିବା ପସନ୍ଦ କରନ୍ତି । ପୁଣି କିଛି ପ୍ରଜାତିରେ ଏହି ଦଳ ସାମାନ୍ୟ ବଡ଼ ।
ପ୍ରଜାତି ଓ ଉପପ୍ରଜାତି




ଲୁଟ୍ରା ପ୍ରଜାତି
- ୟୁରେସୀୟ ଓଧ (ଲୁଟ୍ରା ଲୁଟ୍ରା)
- ଲୋମଶନାକ ଓଧ (ଲୁଟ୍ରା ସୁମାତ୍ରାନା)
- ଜାପାନୀ ଓଧ† (ଲୁଟ୍ରା ନିପ୍ପନ୍)
- ଲୁଟ୍ରା ଇଉଜିନା†
- ଲୁଟ୍ରା କାଷ୍ଟିଗ୍ଲିନଇସ୍†
- ଲୁଟ୍ରା ସିମ୍ପ୍ଲିସିଡେନ୍ସ୍†
- ଲୁଟ୍ରା ଟ୍ରାଇନାକ୍ରାଇଏ†
ହାଇଡ୍ରିକ୍ଟିସ୍ ପ୍ରଜାତି
- ବେକପଟା ଓଧ (ହାଇଡ୍ରିକ୍ଟିସ୍ ମାକ୍ୟୁଲିକୋଲିସ୍)
ଲୁଟ୍ରୋଗେଲ୍ ପ୍ରଜାତି
- ଚିକ୍କଣ ଚର୍ମ ଓଧ (ଲୁଟ୍ରୋଗେଲ୍ ପର୍ସ୍ପିସିଲାଟା)
- ଲୁଟ୍ରୋଗେଲ୍ ରୋବଷ୍ଟା†
ଲୋଣ୍ଟ୍ରା ପ୍ରଜାତି
- ଉତ୍ତର ଆମେରିକୀୟ ନଦୀ ଓଧ (ଲୋଣ୍ଟ୍ରା କ୍ୟାନାଡେନ୍ସିସ୍)
- ଦକ୍ଷିଣ ନଦୀ ଓଧ (ଲୋଣ୍ଟ୍ରା ପ୍ରୋଭୋକାକ୍ସ୍)
- କ୍ରାନ୍ତୀୟ ନଦୀ ଓଧ (ଲୋଣ୍ଟ୍ରା ଲୋଞ୍ଜିକଡିସ୍)
- ସାମୁଦ୍ରିକ ଓଧ (ଲୋଣ୍ଟ୍ରା ଫେଲିନା)
ଟେରୋନ୍ୟୁରା ପ୍ରଜାତି
- ବଡ଼ ଓଧ (ଟେରୋନ୍ୟୁରା ବ୍ରାସିଲିଏନ୍ସିସ୍)
ଏମ୍ବଲୋନିକ୍ସ୍ ପ୍ରଜାତି
- ଏସୀୟ ଛୋଟନଖ ଓଧ (ଏମ୍ବଲୋନିକ୍ସ୍ ସିନେରଏସ୍)
ଏଓନିକ୍ସ୍ ପ୍ରଜାତି
- ଆଫ୍ରିକୀୟ ନଖବିହୀନ ଓଧ (ଏଓନିକ୍ସ୍ କ୍ୟାପେନ୍ସିସ୍)
ଏନ୍ହାଇଡ୍ରା ପ୍ରଜାତି
- ସିନ୍ଧୁ ଓଧ (ଏନ୍ହାଇଡ୍ରା ଲୁଟ୍ରିସ୍)
- ଏନ୍ହାଇଡ୍ରା ରିଭେଇ†
†ମେଗାଲେନ୍-ହାଇଡ୍ରିସ୍ ପ୍ରଜାତି
†ସାର୍ଡୋଲୁଟ୍ରା ପ୍ରଜାତି
†ଆଲ୍ଗାରୋଲୁଟ୍ରା ପ୍ରଜାତି
†ସାଇର୍ନେଓନିକ୍ସ୍ ପ୍ରଜାତି
†ଟେର୍ୟୁଲିକ୍ଟିସ୍ ପ୍ରଜାତି
†ଏନ୍ହାଇଡ୍ରିଓଡନ୍ ପ୍ରଜାତି
†ଏନ୍ହାଇଡ୍ରିଥେରିୟମ୍ ପ୍ରଜାତି
†ଲିମ୍ନୋନିକ୍ସ୍ ପ୍ରଜାତି
†ଲୁଟ୍ରାଭସ୍ ପ୍ରଜାତି
†ଶିବାଓନିକ୍ସ୍ ପ୍ରଜାତି
†ଟୋରୋଲୁଟ୍ରା ପ୍ରଜାତି
†ଟାଇରେନୋଲୁଟ୍ରା ପ୍ରଜାତି
†ବିଷ୍ଣୁଓନିକ୍ସ୍ ପ୍ରଜାତି
†ସିଆମୋଗେଲ୍ ପ୍ରଜାତି
ୟୁରୋପୀୟ ଓଧ
ୟୁରୋପୀୟ ଓଧକୁ “ୟୁରେସୀୟ ଓଧ” ବୋଲି ମଧ୍ୟ କୁହାଯାଏ । ଏମାନେ ୟୁରୋପ, ଏସିଆର ଅଧିକାଂଶ ଅଞ୍ଚଳ ଓ ଉତ୍ତର ଆଫ୍ରିକାର କେତେକ ଅଞ୍ଚଳରେ ଦେଖାଯାନ୍ତି । ୧୯୫୦ ଦଶନ୍ଧି ପର୍ଯ୍ୟନ୍ତ ବ୍ରିଟିଶ୍ ଆଇଲ୍ସ୍ ଦ୍ୱୀପପୁଞ୍ଜରେ ଏମାନେ ବହୁ ସଂଖ୍ୟାରେ ପରିଲକ୍ଷିତ ହେଉଥିଲେ କିନ୍ତୁ ଜଳ ପ୍ରଦୂଷଣ, ପରିବାସ କ୍ଷୟ ଏବଂ କ୍ଲୋରିନେଟେଡ୍ ହାଇଡ୍ରୋକାର୍ବନ ପରି କୀଟନାଶକର ଅଧିକ ବ୍ୟବହାର ଯୋଗୁଁ ବର୍ତ୍ତମାନ ସେହି ଅଞ୍ଚଳରେ ଏହି ପ୍ରଜାତିର ଓଧଙ୍କୁ ଦେଖିବା ଏକ ବିରଳ ଦୃଶ୍ୟ ବୋଲି କହିବା ଅତ୍ୟୁକ୍ତି ହେବନାହିଁ । ୧୯୮୦ ଦଶକରେ ଏମାନଙ୍କ ସଂଖ୍ୟା ମାତ୍ରାଧିକ ହ୍ରାସ ପାଇଥିଲା ଯାହାକୁ ବର୍ତ୍ତମାନ ପୂର୍ବାବସ୍ଥାକୁ ଫେରାଇବା ପାଇଁ ଚେଷ୍ଟା ଚାଲିଛି । ଯୁକ୍ତରାଜ୍ୟରେ “ଜୈବବିବିଧତା କାର୍ଯ୍ୟକାରୀ ଯୋଜନା” (ଇଂରାଜୀରେ Biodiversity Action Plan) ପ୍ରଣୟନ କରାଯାଇ ୨୦୧୦ ସୁଦ୍ଧା ଓଧମାନଙ୍କ ପୁନରୁତ୍ଥାନର (୧୯୬୦ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଯେପରି ସ୍ଥିତି ଥିଲା ତାହାକୁ ହାସଲ କରିବା ପାଇଁ) ପଦକ୍ଷେପ ନିଆଯାଇଥିଲା । ସଡ଼କ ଓ ରାଜପଥରେ ଗାଡ଼ିଦ୍ୱାରା ଚପାହୋଇ ବହୁ ଓଧ ପ୍ରାଣ ହରାଇବା ଏହି ଯୋଜନା ପାଇଁ ଏକ ବାଧା ସୃଷ୍ଟି କରିଥିଲା ।
ଉତ୍ତର ଆମେରିକୀୟ ନଦୀ ଓଧ
ୟୁରୋପୀୟମାନେ ଉତ୍ତର ଆମେରିକାରେ ଉପନିବେଶ ଆରମ୍ଭ କରିବା ପରେ ବହୁ ସଂଖ୍ୟକ ନଦୀ ଓଧଙ୍କୁ ଲୋମ ପାଇଁ ଫାଶ ପକାଇ ଧରିଲେ ଓ ଶିକାର କଲେ । ନଦୀ ଓଧମାନେ ମୁଖ୍ୟତଃ ମାଛ, ଶାମୁକା, କ୍ଷୁଦ୍ର ସ୍ଥଳଚର ସ୍ତନ୍ୟପାୟୀ ପ୍ରାଣୀ ତଥା ପକ୍ଷୀଙ୍କୁ ଆହରଣ କରିଥାନ୍ତି । ଏମାନେ ବଢ଼ି ୩-୪ ମିଟର୍ ଲମ୍ବ ଓ ୫-୧୫ କିଲୋଗ୍ରାମ୍ ପର୍ଯ୍ୟନ୍ତ ଓଜନର ହୋଇଥାନ୍ତି ।
କେତେକାଞ୍ଚଳରେ ଏହା ଏକ ସଂରକ୍ଷିତ ପ୍ରଜାତି । ରୁଗ୍ଣ ଓ ଆହତ ଓଧଙ୍କ ଥଇଥାନ ପାଇଁ କେତେକ ସଂସ୍ଥାନ ତଥା ସଂରକ୍ଷଣ କେନ୍ଦ୍ର ମଧ୍ୟ ରହିଛି ।
ସିନ୍ଧୁ ଓଧ
ସିନ୍ଧୁ ଓଧ ଏକ ସାମୁଦ୍ରିକ ସ୍ତନ୍ୟପାୟୀ ଜୀବ ଓ ଉତ୍ତର ଆମେରିକାର ପ୍ରଶାନ୍ତ ମହାସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରନ୍ତି । ଏକଦା ଏମାନେ ବେରିଂ ପ୍ରଣାଳୀ, କମଚାଟକା ଓ ଜାପାନର ଦକ୍ଷିଣ ଭାଗ ପର୍ଯ୍ୟନ୍ତ ଅଞ୍ଚଳରେ ମଧ୍ୟ ପରିଲକ୍ଷିତ ହେଉଥିଲେ । ସିନ୍ଧୁ ଓଧମାନଙ୍କ ଦେହର ବର୍ଗ ସେଣ୍ଟିମିଟର୍ ପ୍ରତି ୨୬୦୦୦-୧୬୫୦୦୦ ଲୋମ ରହିଥାଏ । ଏମାନଙ୍କ ଶରୀର ଏପରି ଘଞ୍ଚ ଲୋମବିଶିଷ୍ଟ ହୋଇଥିବାରୁ ମନୁଷ୍ୟମାନେ ବହୁ ପରିମାଣରେ ଏମାନଙ୍କ ଶିକାର କରୁଥିଲେ ଓ ଏମାନଙ୍କ ପ୍ରଜାତି ବିଲୋପ ହେବା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏମାନଙ୍କ ସୁରକ୍ଷା ପାଇଁ ୧୯୧୧ ଫର୍ ସିଲ୍ ଚୁକ୍ତି ଆରମ୍ଭ ହୋଇଥିଲେ ହେଁ ସେତେବେଳକୁ ସିନ୍ଧୁ ଓଧଙ୍କ ସଂଖ୍ୟା ଏତେ କମିଯାଇଥିଲା ଯେ, ଲୋମ ବ୍ୟବସାୟ ବେଶୀ ଲାଭପ୍ରଦାୟୀ ହୋଇ ରହିନଥିଲା ।
ଏମାନେ ଶାମୁକା ଓ ଅନ୍ୟ ଅମେରୁଦଣ୍ଡୀ ପ୍ରାଣୀଙ୍କୁ ଖାଆନ୍ତି । ଯେକୌଣସି ଅଞ୍ଚଳରେ ଶିକାରର ଘନତା ଓଧମାନଙ୍କ ସଂଖ୍ୟା ନିରୂପଣ କରିଥାଏ । ସମୁଦ୍ରର ନରମ ତଳ ଅପେକ୍ଷା ପଥୁରିଆ ତଳରୁ ଓଧଙ୍କୁ ଶିକାର ସଂଗ୍ରହ କରିବା ସହଜ ହୋଇଥାଏ । ତେଣୁ ପଥୁରିଆ ସମୁଦ୍ରତଳ ଅଞ୍ଚଳରେ ସିନ୍ଧୁ ଓଧମାନେ ବାସ କରନ୍ତି । ନିଜ ପଞ୍ଝା ତଳେ ଲୋମାବୃତ ମୁଣିରେ ସେମାନେ ଏକ ପଥର ଖଞ୍ଜି ସମୁଦ୍ରତଳକୁ ଯାଆନ୍ତି, ଶାମୁକାର କଠିନ ଆବରଣକୁ ପିଟି ଭାଙ୍ଗି ପକାନ୍ତି ଓ ତାକୁ ଆହରଣ କରନ୍ତି । ଉପକରଣ ବ୍ୟବହାର କରି ଶିକାର କରୁଥିବା ଜନ୍ତୁଙ୍କ ଶ୍ରେଣୀରେ ସିନ୍ଧୁ ଓଧଙ୍କର ଗଣନା କରାଯାଏ । ଏମାନେ ୧-୧.୫ ମିଟର୍ ପର୍ଯ୍ୟନ୍ତ ଲମ୍ବା ହୁଅନ୍ତି ଓ ଏମାନଙ୍କ ଓଜନ ୩୦ କି.ଗ୍ରା. ପର୍ଯ୍ୟନ୍ତ ହୋଇଥାଏ । ଏକଦା ଲୁପ୍ତପ୍ରାୟ ହୋଇ କେବଳ କାଲିଫର୍ଣ୍ଣିଆ ଓ ଆଲାସ୍କା ପର୍ଯ୍ୟନ୍ତ ସୀମିତ ହୋଇ ରହିଥିବା ସିନ୍ଧୁ ଓଧଙ୍କ ସଂଖ୍ୟା ବର୍ତ୍ତମାନ ପୁନର୍ବାର ବଢ଼ିବାରେ ଲାଗିଛି ।
ଅନ୍ୟ ସାମୁଦ୍ରିକ ସ୍ତନ୍ୟପାୟୀଙ୍କ ପରି ସିନ୍ଧୁ ଓଧଙ୍କ ଲୋମ ତଳେ ଏକ ମେଦ ଆସ୍ତରଣ (ଇଂରାଜୀରେ blubber) ନଥାଏ । ତେଣୁ ଲୋମ ତଳେ ବାୟୁ ଗଚ୍ଛିତ ହୋଇ ତାପ କୁପରିବାହୀ ଆସ୍ତରଣ ସୃଷ୍ଟି କରିଥାଏ । ବାୟୁ କମିଗଲେ ସେମାନେ ନିଜ ଲୋମ ତଳେ ଫୁଙ୍କି ପୁଣି ନିଜ ବାୟୁ ମୁଣି ପୂରଣ କରନ୍ତି । ଅନ୍ୟ ଓଧମାନେ ଅଧିକାଂଶ ସମୟ ଭୂମି ଉପରେ ଅତିବାହିତ କରୁଥିବା ବେଳେ ସିନ୍ଧୁ ଓଧମାନେ ଅଧିକାଂଶ ସମୟ ପାଣିରେ ବିତାଇଥାନ୍ତି ।
ବଡ଼ ଓଧ
ବଡ଼ ଓଧ (Pteronura brasiliensis) ମୁଖ୍ୟତଃ ଦକ୍ଷିଣ ଆମେରିକା ମହାଦେଶର ଆମାଜନ୍ ନଦୀ ଉପତ୍ୟକାରେ ଦେଖାଯାନ୍ତି । କିନ୍ତୁ ସୁନା ବାହାର କରିବା ପାଇଁ ପାରଦ ଓ ଅନ୍ୟ ବିଷାକ୍ତ ପଦାର୍ଥର ବ୍ୟବହାର, ପରିବାସ ନଷ୍ଟ ଓ ବହୁ ସଂଖ୍ୟକ ଓଧଙ୍କ ଶିକାର କରାଯାଉଥିବାରୁ ଏମାନେ ବର୍ତ୍ତମାନ ଏକ ବିରଳ ପ୍ରଜାତି ପାଲଟିଯାଇଛନ୍ତି । ଏହି ଓଧ ବଢ଼ି ପ୍ରାୟ ୧.୮ ମିଟର୍ (୫.୯ ଫୁଟ୍) ପର୍ଯ୍ୟନ୍ତ ଲମ୍ବା ହୋଇଥାଏ ଏବଂ ଅନ୍ୟ ଓଧଙ୍କ ଅପେକ୍ଷା ଅଧିକ ସମୟ ଜଳରେ ବିତାଇଥାଏ ।
ମନୁଷ୍ୟ ଓ ଓଧ


ଓଧ ଶିକାର
୧୭୦୦ ଶତାବ୍ଦୀ ବା ତାହା ବହୁ ପୂର୍ବରୁ ଲୋମ ପାଇଁ ଓଧମାନଙ୍କର ଶିକାର କରାଯାଇଆସୁଛି । ତୀର, ଜାଲ, ଫାଶ ଇତ୍ୟାଦି ବ୍ୟବହାର କରି ପୂର୍ବେ ଶିକାର କରାଯାଉଥିଲା, ଏବଂ ପରେ ଓଧ ଶିକାର ପାଇଁ ବନ୍ଧୁକ, ଯନ୍ତା ଇତ୍ୟାଦିର ବ୍ୟବହାର କରାଗଲା ।
ବହୁ ପୂର୍ବରୁ ଲୋକେ ଓଧ ଚମଡ଼ା ତିଆରି ପୋଷାକ ବ୍ୟବହାର କରିଆସୁଛନ୍ତି । ଚୀନରେ ରାଜକୀୟ ପୋଷାକରେ ଓଧ ଚମଡ଼ା ବ୍ୟବହୃତ ହେଉଥିଲା । ସମାଜରେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳ ଲୋକେ ମଧ୍ୟ ଓଧ ଚମଡ଼ାରେ ତିଆରି ପୋଷାକ ପିନ୍ଧୁଥିଲେ । ଓଧ ଲାଙ୍ଗୁଡ଼ ପୁରୁଷମାନଙ୍କ କମରବନ୍ଧ (belt) ଓ ଟୋପି ଇତ୍ୟାଦି ତିଆରି କରିବାରେ କାମରେ ଲାଗୁଥିଲା । ଛୁଆଙ୍କ ପାଇଁ କିଛି ପ୍ରକାରର ହାତମୌଜା (Glove) ଓ ଉଷ୍ମପୋଷାକ ମଧ୍ୟ ଓଧର ଲୋମଶ ଛାଲ ବ୍ୟବହାର କରି ତିଆରି କରାଯାଏ ।
କୁକୁରମାନଙ୍କ ସହାୟତାରେ ଓଧମାନଙ୍କ ଶିକାର କରାଯାଉଥିଲା ଓ ସେହି କୁକୁରମାନଙ୍କ ମଧ୍ୟରୁ ବିଶେଷ ରୂପେ ଓଟ୍ଟର୍ହାଉଣ୍ଡ୍ (otterhound) ନାମକ ପ୍ରଜାତି ଶିକାରରେ ବ୍ୟବହୃତ ହେଉଥିଲେ । ୧୯୫୮ରୁ ୧୯୬୩ ମସିହା ମଧ୍ୟରେ ଇଂଲଣ୍ଡରେ ୧୧ଟି ଓଧ ଶିକାରର ଆୟୋଜନ କରାଯାଇଥିଲା ଯେଉଁଥିରେ ୧୦୬୫ଟି ଓଧ ପ୍ରାଣ ହରାଇଥିଲେ । ଏପରି ଶିକାରରେ ଓଧଙ୍କ ଗୁପ୍ତାଙ୍ଗର ଅସ୍ଥି ସଂଗ୍ରହ କରିବାର ଏକ ଉନ୍ମାଦନା ରହିଥିଲା ଯାହା ଲୋକଙ୍କ ଟାଇ-ପିନ୍ (କଣ୍ଠ ପଟ୍ଟିକୁ ଧରି ରଖିବା ପାଇଁ ବ୍ୟବହୃତ ଛୁଞ୍ଚି) ଭଳି ବ୍ୟବହୃତ ହେଉଥିଲା ।
ଦକ୍ଷିଣ-ପୂର୍ବ ଏସିଆରେ ପାରମ୍ପରିକ ପରିବାସରୁ ଓଧମାନେ ପ୍ରାୟ ଲୋପ ପାଇ ବସିଲେଣି ବୋଲି “ଟ୍ରାଫିକ୍” ନାମକ ଏକ ବନ୍ୟଜୀବ ବ୍ୟବସାୟ ନିରୀକ୍ଷକ ସଂସ୍ଥା ମତ ରଖିଥିଲା । ଓଧ ଛାଲର ଚାହିଦାକୁ ପୂରଣ କରିବା ପାଇଁ ସେମାନଙ୍କ ମାତ୍ରାଧିକ ଶିକାର ଏପରି ସଂଖ୍ୟାହ୍ରାସର କାରଣ ବୋଲି ଦର୍ଶାଯାଇଥିଲା ।
ମାଛ ଧରିବା ପାଇଁ ଓଧଙ୍କ ବ୍ୟବହାର
ଯୁଗ ଯୁଗ ଧରି ଦକ୍ଷିଣ ବଙ୍ଗଳାଦେଶର ମତ୍ସ୍ୟଜୀବୀମାନେ ଚିକ୍କଣ ଚର୍ମଯୁକ୍ତ ଓଧମାନଙ୍କୁ ପୋଷାଜୀବ ପରି ରଖି ଆସୁଛନ୍ତି ଓ ମାଛ ଧରିବା ପାଇଁ ସେମାନଙ୍କ ସହାୟତା ଲୋଡ଼ି ଆସୁଛନ୍ତି । ଓଧମାନେ ଜାଲ ଆଖପାଖର ମାଛଙ୍କୁ ଗୋଡ଼ାଇ ଜାଲ ପଟକୁ ଖେଦି ଦେଇଥାନ୍ତି । ବଂଶାନୁକ୍ରମିକ ଏହି ପରମ୍ପରା ଏସିଆର ବିଭିନ୍ନ ସ୍ଥାନରେ ଚାଲି ଆସୁଛି । ବଙ୍ଗଳାଦେଶର ନାରୈଲ୍ ଜିଲ୍ଲାରେ ଓ ସୁନ୍ଦରବନରେ ଏବେ ମଧ୍ୟ ଏହି ଶୈଳୀରେ ମାଛ ଧରିବା ଦେଖିବାକୁ ମିଳେ ।
ଧାର୍ମିକ ଓ ପୌରାଣିକ କଥାରେ ଓଧ
ନୋର୍ସ୍ ପୌରାଣିକ କଥାନୁସାରେ “ଓଟ୍ର୍” ବାମନ ଓଧର ରୂପ ଗ୍ରହଣ କରୁଥିଲା । "ଓଟ୍ଟର୍ସ୍ ରାନ୍ସମ୍ (Otter's Ransom)" ପ୍ରସଙ୍ଗରୁ ଭୋଲସୁଂଗା କଥାର ଆରମ୍ଭ ହୋଇଛି ।
କେତେକ ଆଦିମ ଆମେରିକୀୟ ଜନଜାତିଙ୍କ ବିଶ୍ୱାସ ଅନୁସାରେ ଓଧମାନଙ୍କୁ ତାବିଜ ଜନ୍ତୁର ମାନ୍ୟତା ମିଳିଥିଲା ।
ଯୋରାଷ୍ଟ୍ରୀୟ ଧର୍ମରେ ଓଧମାନଙ୍କୁ ପବିତ୍ର ଓ ସ୍ୱଚ୍ଛ ଜୀବ ରୂପେ ଗଣନା କରାଯାଏ ଓ ତେଣୁ ସେମାନଙ୍କ ହତ୍ୟା କରିବା ଏକ ଜଘନ୍ୟ ଅପରାଧ ବୋଲି ବିଶ୍ୱାସ ରହିଛି ।
କୋରିଆ ଦେଶର ପୌରାଣିକ କଥାନୁସାରେ ଓଧ ଦେଖିଲେ ବର୍ଷସାରା ମେଘ-ବର୍ଷା ହେବ ବୋଲି ଅନ୍ଧବିଶ୍ୱାସ ରହିଛି ।
ଜାପାନୀ ଲୋକକଥାରେ ଓଧ
ଜାପାନୀ (ନିହୋଂଗୋ) ଭାଷାରେ ଓଧମାନଙ୍କୁ "କାୱାଉସୋ" (獺、川獺) କୁହାଯାଏ । ଶୃଗାଳ ଓ କୋକିଶିଆଳି ପରି ଓଧମାନେ ମନୁଷ୍ୟମାନଙ୍କୁ ଭକୁଆ ବନାନ୍ତି ବା ଠକନ୍ତି ବୋଲି ଜାପାନୀ ଲୋକକଥା ରହିଛି ।
ନୋଟୋ, ଇଶିକାୱା ଅଞ୍ଚଳରେ ପ୍ରଚଳିତ ଲୋକକଥା ଅନୁଯାୟୀ ଓଧମାନେ ସ୍ୱେଚ୍ଛାରେ ଯେକୌଣସି ରୂପ ଧାରଣ କରିପାରନ୍ତି ଓ ସୁନ୍ଦର ସ୍ତ୍ରୀ ବା ଛୁଆର ରୂପ ଧରନ୍ତି । କୌଣସି ମଣିଷ କଥା ହେବାକୁ ଚେଷ୍ଟା କଲେ ସେମାନେ "ଓରାୟା", "ଆରାୟା", "କାୱାଇ" ଇତ୍ୟାଦି ଧ୍ୱନିରେ ଉତ୍ତର ଦିଅନ୍ତି । କାଗା ପ୍ରୋଭିନ୍ସରେ ଓଧଙ୍କ ସମ୍ପର୍କିତ ଏକ ଭୀତିପ୍ରଦାୟକ ଲୋକକଥା ମଧ୍ୟ ରହିଛି ଯାହା ଅନୁସାରେ ଓଧ ସୁନ୍ଦର ସ୍ତ୍ରୀର ରୂପ ଧାରଣ କରି ପୁରୁଷଙ୍କୁ ଆକୃଷ୍ଟ କରେ ଓ ସେମାନଙ୍କ ହତ୍ୟା କରି ସେମାନଙ୍କୁ ଆହରଣ କରେ ।
ଏଡୋ କାଳର କିମ୍ବଦନ୍ତୀ "ଉରାମି କାନାୱା" (裏見寒話), "ତାଇହେଇ ହ୍ୟାକୁ ମୋନୋଗାତାରି" (太平百物語) ଓ "ଶିଫୁ ଗୋରୋକୁ" (四不語録), କାଇଡାନ ଲେଖାରେ ମଧ୍ୟ ସ୍ତ୍ରୀ ରୂପ ଧରି ପୁରୁଷଙ୍କୁ ହତ୍ୟା କରିବାର କାହାଣୀ ପ୍ରଚଳିତ । ଜାପାନ ପରି ଚୀନରେ ମଧ୍ୟ ଓଧମାନେ ସୁନ୍ଦର ସ୍ତ୍ରୀରେ ରୂପାନ୍ତରିତ ହେବାର କଥା ବହୁ ପ୍ରାଚୀନ ପୁସ୍ତକରେ ଲେଖାଅଛି ।
ହିରୋଶିମାର ନୁମାତାଚି ସହରରେ ଓଧଙ୍କୁ “ଟୋମୋ ନୋ କାୱାଉସୋ” (伴のカワウソ) ଓ “ଆତୋ ନୋ କାୱାଉସୋ” (阿戸のカワウソ) କୁହାଯାଏ । ସେମାନେ ଭିକ୍ଷୁ ବା ସନ୍ଥଙ୍କ ରୂପ ଧାରଣ କରନ୍ତି ବୋଲି ଲୋକଙ୍କ ଧାରଣା ରହିଛି ।
ସୁଗାରୁ ଅଞ୍ଚଳରେ କାଳିସୀ ପରି ଓଧମାନେ ମନୁଷ୍ୟଙ୍କ ଶରୀରରେ ପ୍ରବେଶ କରିବା ବିଶ୍ୱାସ କରାଯାଏ । ଶରୀରରେ ଓଧ ଲାଗିଲେ ସବୁ ଶକ୍ତି ପଳାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି ।
ବାହ୍ୟ ଲିଂକ୍
- IUCN SSC Otter Specialist Group
- ARKive Photographs and videos of Eurasian otters. On the same site are photos and videos of the marine otter (Lontra felina), sea otter (Enhydra lutris), smooth-coated otter (Lutrogale perspicillata) and giant otter (Pteronura brasiliensis).
- International Otter Survival Fund